Unknown

 

 

 

 

 

 

 

 

 

 

ପାଦୁକା

କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ

 

(ଭରତ ମିଳନ)

(୧)

“ଔରୁକରୈ ଅପରାଧୁ କୋଉ

ଔର ପାଦଫଲ ଭୋଗୁଁ

ଅତି ବିଚିତ୍ର ଭଗବନ୍ତ

ଗତିକେ ଜଗଜାନୈ ଯୋଗା ।”

-ତୁଳସୀ ଦାସ

ଅପରାଧ କଲେ ଜଣେ, ଫଳ ଭୋଗିଲେ ଅନ୍ୟ ଜଣେ ।

ଭଗବାନଙ୍କ ରୀତି ଅତି ବିଚିତ୍ର, କାହାର ଶକ୍ତି ଭେଦିବ ।

 

(୨)

“ଅରଞ୍ଜନୈଃ ଦୁର୍ଜନ ଜଳ୍ସିତାଞ୍ଜନୈଃ

ଭବତ୍ୟହୋ ସଜ୍ଜନ ହୃନ୍ମତିମଶଃ

ପିତାପି ରାମଂ କୁମନୀ ମନୀଷୟା

ମନୀଷୀମାନ୍ୟୋପି ବନୀମନିନୟତ”

 

ଆହୋ, କୁଟିଳ ବୁଦ୍ଧି ଖଳମାନେ ଖୋଷିମତିଆ କଥା କହି ଇମିତି ବାୟା କରି ଦିଅନ୍ତି ନା ? ଦଶରଥଙ୍କ ପରି ବାପା ରାମଚନ୍ଦ୍ରଙ୍କ ପରି ମନୀଷୀମାନ୍ୟ ବିଶ୍ଵବରେଣ୍ୟଙ୍କୁ ବନକୁ ବିଦା କଲେ-

 

ଉପରୋକ୍ତ ରଚନାଟି ଯାଜପୁରର ଜଣେ ପୂଜ୍ୟ ଖ୍ୟାତନାମା ପଣ୍ଡିତ ଦାମୋଦର ବିଦ୍ୟାବାଗୀଶଙ୍କର ରଚନାର ନମୁନା-(ଏ ମହାଶୟ ସ୍ଵର୍ଗତ ବାବୁ କାମପାଳ ମିଶ୍ର ଓ ବାବୁ ନୀଳମଣି ମିଶ୍ରଙ୍କର ପିତା ଓ ବାବୁ ବିଶ୍ଵମ୍ଭର ମିଶ୍ରଙ୍କର ପିତାମହ-ଆମ୍ଭମାନଙ୍କର ଗର୍ବ ଓ ଗୌରବ-।)

 

ବନବାସରେ

 

ପ୍ରଥମ ରାତ୍ର-ତମସା ତୀରେ ।

ଦ୍ଵିତୀୟ ରାତ୍ର-ଶୃଙ୍ଗବେର ପୁରେ ଗଙ୍ଗାକୁଳେ ।

ତୃତୀୟ ଦିନ-ଇଙ୍ଗୁଦୀ ବୃକ୍ଷମୂଳେ ଜଟାବନ୍ଧନ ।

ଚତୁର୍ଥ ଦିନ-ଭରଦ୍ଵାଜ ଆଶ୍ରମେ ।

ପଞ୍ଚମ ଦିନ-ଯମୁନା ତୀରେ ।

ଷଷ୍ଠ ଦିନ-ଚିତ୍ରକୁଟେ, ଉକ୍ତଦିନ ସୁମନ୍ତଙ୍କ ପ୍ରତ୍ୟାବର୍ତ୍ତନ ଓ ଦଶରଥ ବିୟୋଗ ।

ଚୈତ୍ର ଶୁକ୍ଳା ଦଶମୀରେ ପୁଷ୍ୟାନକ୍ଷନ୍ତ୍ରରେ ରାମଚନ୍ଦ୍ରଙ୍କ ବନପ୍ରସ୍ଥାନ ।

(ରାମନବମୀ ବାସି ଦିନ)

 

ଦ୍ଵିତୀୟା ନାତୁଣୀ “ଶତସମ୍ପା”ର

କାନରେ ଖୋସି ଦେଲି ଏହି

‘ପାଦୁକା’ ର ପ୍ରସାଦୀ ମଣ୍ଡଣୀ ଫୁଲ ।

-ଦାଦୁ

***

 

ପ୍ରଥମ ପର୍ବ

ଗୃହକ ଆଶ୍ରମେ କଟାବନ୍ଧନ

(କାହାର କିପରି ହୃଦୟ, କି ଯୋଗୁଁ ସେ ଅସାଧାରଣ ଆଦର୍ଶ, ବିଶ୍ଲେଷଣ କରିବାକୁ ହେବ ।)

(ଡ଼ବଲ କନଡ଼ା)

 

(୧)

ଶୃଙ୍ଗବେର ପୁରେ ବୃଦ୍ଧ ପୁଣ୍ୟବନ୍ତ

ନିଷାଦରାଜ ଗୁହକ

ଗୋଚର ହୋଇଛି ଅଯୋଧ୍ୟା ବାରତା

ଆସୁଛନ୍ତି ନରନାୟକ

ପରଂବ୍ରହ୍ମ ସେ, ଏହି ପଥେ ଦେବେ ଆଲୋକ

ଚରାଚର ବନ ଗିରିତରୁଲତା

ମୋ ରାଜେ ଖେଳିବ ଝଲକ

ଆରେ ନିଷାଦ, ତୋ ଭାଗ୍ୟ ନିନ୍ଦିବ ଦ୍ୟୁଲୋକ

ପ୍ରଜା ପରିଜନ ପୟରେ ଲୋଟିବେ

ନଥିଲା ନେତ୍ରକୁ ପଲକ ।

 

(୨)

କଣ୍ଟକ-ସଙ୍କୁଳ ଥିଲା ମାର୍ଗମାନ

ୟରକୁ ଦେବ ପରାଣ

ଲୋତକ ବାରିରେ ଓଳାଇ ଦେଇଛି

ନ ଲାଗିବ ଖରା ତରାଶ

ବୋଲେ ଶୁଣାଇ, ଶିଳାକୁ ଜୀବନ ଦେଇଛି

ତୋ ଜୀବନ ହୀନ ଅକର୍ମ ଶିଳାରେ

ଉଦ୍ଧାରିବା ଯୋଗ ମିଳିଛି

ବନ କୁସୁମେ, ମଣ୍ଡପମାନ ରଚାଇଛି

ଗୋରସ ମଧୁ ସୁସ୍ୱାଦୁ ଫଳମାନ

ଉପଚାର କେତେ ଥୋଇଛି ।

 

(୩)

ଜନକଜେମା ସେ ସତ୍ୟସନାତନୀ

ନିତ୍ୟ ନାରାୟଣୀ, ଜାଣିଛ

ସୁଦୃଶ୍ୟ ବିହଙ୍ଗ ଶାର୍ଦ୍ଦୁଳ କୁରଙ୍ଗ

ମୃଗ ନକୁଳ ଅଣାଇଛି

ବନ୍ୟ ମୂଷିକ, ଭଲ୍ଲୁକ ବାନର ଦେବ ସେ

ଅଯୋଧ୍ୟା କୁନ୍ତ୍ରିମ ବାସବିଳାସକୁ

କେଡ଼େ ହୀନ ଦେଖାଇବ ସେ

ବନ୍ୟରସରେ, ପାନୀୟ କେତେ ପରକାରେ

କୁଙ୍କୁମ କସ୍ତୁରୀ ନିଆଳି ଉଷୀର

କେକୀପୂଚ୍ଛ ଗୃଚ୍ଛ ଚାମରେ ।

 

(୪)

ଅଜିନ ଝିନବସନର ସମ୍ବାର

ନଖ ଶୃଙ୍ଗ ଚର୍ମ ବଳ୍ କଳ

ଲୋମଜ କୀଟଜ ଖନିଜ ଦରବ

ଶିରିଷ ମୃଦୁଳ କମ୍ବଳ

ଦୂରେ ଦେଖନ୍ତେ, ସୁମନ୍ତ୍ର ଚାଳିତ ସ୍ୟନ୍ଦନ

ସହସ୍ର ନିଷାଦ ପଦାତି ବାହିନୀ

କଲେ ସୀତାରାମ ବନ୍ଦନ

ଗିରି କନ୍ଦର, ଗର୍ଜିଲା ମର୍ଦ୍ଦଳ ଘର୍ଘର

ବାହୁବଲ୍ଲରୀ ପ୍ରସାରି ରଘୁନାଥ

କୋଳାଗତ କଲେ ମିତ୍ରର ।

 

(୫)

ଅଶ୍ରୁ-ଗଦଗଦ ବୃଦ୍ଧ ଦମ୍ପତିଙ୍କ

ଅମୂଲ୍ୟ ଧନ କି ମିଳିଲା

ସତେ କି ତୋ ପାଦରେଣୁ ଢାଳିବାକୁ

ଏତେ ଦିନେ ମନ ବଳିଲା

“ସବୁ ଶୁଣିଛ, ବନବାସୀ ହେବୁ ଜାଣିଛ

ଶତ ଅଯୋଧ୍ୟାରୁ ବଳିଷ୍ଠ ସୁନ୍ଦର

ଏ ଘର ତୋର ରହିଛି

କୋଟି କିଙ୍କର, ପରଜା ପାଇକେ ଏ ତୋର

କଟାକ୍ଷ ମାତ୍ରକେ ତ୍ରିପୁର ମନ୍ଥିବେ

ସାଗର ସମୀର ଭୂଧର ।

 

(୬)

ଦଣ୍ଡକ କାନନେ ଅପରାଧୀ ଜନେ

ହୁଏ ସିନା ନିର୍ବାସନ

ତୁ ତ ପୁଣ୍ୟଶ୍ଲୋକ ନିତ୍ୟ ପୂତନାମା

ତୋତେ କିପାଁ କ୍ରୁର ଶାସନ

ଅକାରଣ ଏ, ମହତ ଜନ ନିର୍ଯ୍ୟାତନ

ବିନା ନିମତ୍ରଣେ ବ୍ରହ୍ମାଣ୍ଡ ଧାଇଁବେ

ଦେବାକୁ ତୋଲାଗି ଜୀବନ

ରହ ଏଠାରେ, ରାଜଧାନୀ ହେଉ ଏ ତୋରୁ

ସରଯୁ ସଙ୍ଗତେ ଅଯୋଧ୍ୟା କଟକ

ଛାଟିଦେବି ଦୂର ସାଗର ।

 

(୭)

ଅନୁମତି ହେଲେ ହେବ ଅଭିଷେକ

ଭରଦ୍ୱାଜେ ବରି ଆଣିବି

ବ୍ରହ୍ମାଣ୍ଡ ବିବୁଧଗୋଷ୍ଠି ଠୁଳକରି

ଉତ୍ସବମାନ ରଚାଇବି

ବେଗେ ଦେଖିବୁ, ବନ ଉପତ୍ୟକା ନିର୍ଝର

ବନ୍ୟ ଶ୍ୱାପଦଙ୍କ ଆବାସ ଭୁମିଟା

ଧରିବ ନବ କଳେବର

ଜ୍ଞାନ ବିଜ୍ଞାନ, ଶିଳ୍ପବାଣିଜ୍ୟର ସଂସ୍ଥାନ

ନୈମିଷ ଅରଣ୍ୟ ଅଳକାକୁ ଜିଣି

ତୋ ଭୂମି ହୋଇବ ପ୍ରଧାନ ।

 

(୮)

ରାଜପଣି ଲାଗି ନୋହେ ଲାଳାୟିତ

ବାଞ୍ଛା ମୋର ଯତି ଆଚାର

ଜାଣେ ବିଧାତାଙ୍କ ଅପାର କରୁଣା

ସେ ରାଜ୍ୟେ ହୋଇବ ସଂଚାର

ମାତ୍ର ଜନକ ଜନନୀଙ୍କ ଖେଦ କଳ୍ମଷ

ବୃଦ୍ଧକାଳେ ପୁତ୍ର ବିଚ୍ଛେଦ ଯନ୍ତ୍ରଣା

ଏତିକି ଦେଉଛି ପରାଣ

ଜୀର୍ଣ୍ଣ ଜୀବିତ, ଦୋହଲୁଛି ଶଙ୍କୁ ଅଗ୍ରତ

ଧମନୀ ଶୋଣିତ ନାସାର ନିଃଶ୍ବାସ

ସୀତାରାମ ସ୍ନେହେ ନିହିତ ।

 

(୯)

ଭରତ ହୋଇବ ରାଜ୍ୟେ ପ୍ରଜାପାଳ

ଏଥି ମୋ ଆହ୍ଲାଦ ଅପାର

ନିଷ୍କପଟ ସ୍ନେହ ନିଷ୍ଠା ଅକଳନ

ଆଦରଣ ଶିଷ୍ଟ ସୋଦର

ମାତ୍ର ଜନନୀ, ଭିକ୍ଷା କଲାରୁ ବନବାସ

ଏକ ପୁତ୍ର ମୋର ଗର୍ଭଧାରିଣୀଙ୍କି

ଛାଟିଲେ ଜୀବନ୍ତ କୁଳିଶ

ମନ୍ଦ ଅଦୃଷ୍ଟ, ବୁଦ୍ଧିଭ୍ରମ କଲା ସଞ୍ଜାତ

କଳପ ଲତାର ବିଷ ଉଦ୍‌ଗୀରଣ

ଏ ପୁଣି ଦେଖିଲି ସାକ୍ଷାତ ।

 

(୧୦)

କରୁଛି ସ୍ୱୀକାର ନୟନେ ତୋହର

ପୁଣ୍ୟପଥ ଜ୍ୟୋତି ସୁନ୍ଦର

ସେ ତ ରାଜଜେମା ବିଡ଼ିନାହଁ ଦିନେ

ବନବାସେ କେତେ ହୁନ୍ଦର

ନବ ଯୁବକ, ଲକ୍ଷ୍ମଣଙ୍କୁ କର୍ମ ବିପାକ

ଶତବାଞ୍ଛା ଶତ ଆଶାହତ ପ୍ରାଣେ

 

 

 

ସହିଦ ସିନା ସେ ଡ଼ହକ

ମୋତେ ଏ ତୋର, ନାକରା ଦିଶୁଛି ବେଭାର

ନାରୀସୁତ ଭ୍ରାତା ଆତ୍ମୀୟ ଜନଙ୍କ

ବିହିତ ସୁଖ ହେଜିବାର ।

 

(୧୧)

“ମିତଣୀ ତୁମ୍ଭର ଧରାରାଣୀ ଜେମା

ଜନନୀ ଅଙ୍କେ ସେ ସୁଖିନୀ

ଅଶନ ଶୟନ ଭୀତ ମୈଥୁନକୁ

ଜାଣେ ସୈାମିନ୍ତ୍ରୀ ଅଛି ଜିଣି

ଏଣୁ କେବଳ, ଏତିକି ରଖିଲି ସମ୍ବଳ

ତିନିରୁ ଅଧିକ ହେଲେ କୋଳାହଳ

ବ୍ରତକାମୀ ବ୍ରତ ନିଷ୍ଫଳ

ଯତି ଆଚାର, ପ୍ରାରମ୍ଭ ହେବ ଏହିଠାର

ମୁଁ ତ ନୋହେ ରାଜା ତୁମ୍ଭେ ନୁହ ପ୍ରଜା

ଦୃଷ୍ୟ ଘେନିବା ଏ ସମ୍ଭାର ।

 

 

 

 

(୧୨)

ମିତ୍ର ତୁମ୍ଭେ ମୋର ହିତବାଞ୍ଛାକାରୀ

ଐହିକ ସମ୍ଭୋଗେ ବଳାନା

ଦେବତାଙ୍କ ରାଜ୍ୟ ଇନ୍ଦ୍ରିୟ ସଂଯମ

ତପସ୍ୟାକୁ ମୋର କାମନା

ଯହିଁ ମାନବ ହୃଦେ ଦେବଧନ ଉଦ୍ଭବ

ବୁଦ୍‌ବୁଦ ଜୀବନ ସମ୍ଭୋଗେ ପତନ

ତ୍ୟାଗରେ ସ୍ୱରଗ ସମ୍ଭବ

ବଟକ୍ଷୀରର, ଜଟାବନ୍ଧନ ଉପଚାର

ଆୟୋଜନ କର, ଜାହ୍ନାବୀତଟର

ତୃଣପତ୍ର ଫଳମୂଳର ।

 

(୧୩)

ଦୂରେ ଭରଦ୍ୱାଜ ତପୋଧନଙ୍କର

ଆଶ୍ରମ ଧୂମ ରେଖାମାନ

କଲ୍ୟାଣ କରିଲେ ‘‘ସାର୍ଥକ ସନ୍ତାନ !

ସାର୍ଥକ ତପ-ଅଭିଯାନ’’

ତହିଁ ଜାହ୍ନବି, ମର୍ମରେ ମନ୍ତର ଗାଇଲେ

ପରଂବ୍ରହ୍ମ ରାମ ପରମାଲକ୍ଷ୍ମୀଙ୍କୁ

ଦଣ୍ଡେ କି ଅଙ୍କେ ଖେଳାଇଲେ

କଟାବନ୍ଧନ, ବେନି ଭ୍ରାତାଙ୍କର ହୋଇଲା

ଗାତ୍ରେ ବେନିଧାର ସୁମତ୍ର ବୋଇଲେ

କି ଚିତ୍ର ମୋ ନେତ୍ର ଦେଖିଲା ।

 

(୧୪)

ଟଳି ପଡ଼ିଲେ କି ନିଷାଦ ଦମ୍ପତି

ନାବ ବାହିବାର କାଳେ

‘‘ରେ ମୋର ମିତଣୀ ସାଥି ଯା’ନ କଲୁ

ବନେ ଭ୍ରମାଇ ତୋ’ ତୁଲେ’’

ତଟଦେଶରେ, ଅସ୍ତାଚଳ ରକ୍ତରଙ୍ଗରେ

ଶତ ଭାନୁ ତେଜା ବ୍ରହ୍ମଜ୍ଞ ମୂରତି

ଶତ ଶିଷ୍ୟ ଘେନି ସଙ୍ଗରେ

ଭରଦ୍ୱାଜ ସେ, କେଡ଼େ ଭାଗ୍ୟ ବୋଲି ଆଶ୍ୱାସେ

ଚିତ୍ରକୂଟ ବନ ଏହି ଯୋଗ୍ୟ ସ୍ଥାନ

ଏ ହିଁ ନିତ୍ୟ ରମା ବିଳସେ ।

 

୧। ଏଠାରେ ଗୁହକ ପ୍ରଦତ୍ତ ଉପଢୈାକମାନ ଗ୍ରହଣ କଲେ ନାହିଁ । ଅତି ସାଧାରଣ ଅତି ନିତ୍ୟ ନୈମିତ୍ତିକ ବ୍ୟାପାରରେ ମଧ୍ୟ ରାମଚନ୍ଦ୍ର ନିର୍ଲୋଭ ନିତିଜ୍ଞ କି କି କାରଣରୁ ସୀତା ଲକ୍ଷ୍କଣ ବ୍ୟତୀତ ଅପର କାହାରିକୁ ଆଣିନାହାନ୍ତି-ଚରିତ୍ର ବିଶ୍ଲେଷଣ କରି ଦେଖାନ୍ତୁ ।

୨। କେହି କହନ୍ତି-ଭୋଗରେ ମାନବ ଜୀବନର ସାର୍ଥକତା, କେହି କହନ୍ତି-ତ୍ୟାଗହିଁ ମାର୍ଗ, କିନ୍ତୁ ରାମଚନ୍ଦ୍ର ତ୍ୟାଗ ମାର୍ଗାବଲମ୍ୱୀ ।

୩ । ମର୍ମରେ-ମର୍ମର ବା କଳ କଳ ଧ୍ୱନିରେ ।

***

 

ଦ୍ୱିତୀୟ ପର୍ବ

ଭରତଙ୍କ ମାତୁ ଳାଳୟରୁ ଅଯୋଧ୍ୟା ପ୍ରତ୍ୟଗମନ;

ପଥେ ଅନ୍ଧ ଭିକ୍ଷୁକ ସଙ୍ଗେ ସାକ୍ଷାତ (ଦେଶାକ୍ଷ)

 

।୧।

ରାଜା ଦଶରଥ ଲୋକାନ୍ତର

ଦେଖି ବଶିଷ୍ଠ ହେଲେ କାତର

ଦ୍ରୁତ ଯାଅ ଚାର ମାତୁଳାଳୟରୁ

ଭରତଙ୍କୁ ଆଣ ଖର

ବାରତା ଅଯୋଧ୍ୟାର ଯେତେ ଅମଙ୍ଗଳ

ଗୋପନ ରଖିବ, କହିଲେ କହିବ

ଶୁଖିଛି ସରଯୁ ଜଳ ।

 

।୨।

ଶୁଣିଥିଲେ ହେବ ଅଭିଷେକ

ଆମତ୍ରଣ ଦ୍ୟୁଲୋକ ଭୁଲୋକ

ଅଯୋଧ୍ୟାର ହେବ ନବ ଭାଗ୍ୟୋଦୟ

ସେ ଘେନି ହୃଦେ ପୁଲକ

ବାହୁକ, କ୍ଷୀପ୍ର ଦ୍ରୁତତର ଚାଳ ରଥ

ଜାଣେ ମୁଁ ନିଶ୍ଚିତ ସୀତା ରଘୁନାଥ

ଚାହିଁ ବସିଥିବେ ପଥ ।

 

।୩।

ଏହି ପରବତ ଆରପାରି

ଆମ୍ଭେ ସରଯୁ ହୋଇବା ପାରି

ଦେଖିବ ବାହୁକ କେଡେ ଅଲୈାକିକ

ଆମ୍ଭ ଅଯୋଧ୍ୟାର ଶିରି

ଅଗ୍ରଜ, ମିଥିଳେଶ ଜେମାଙ୍କ ସୈାରଭ

ଯୋଗୁଁ ସ୍ୱର୍ଗପୁର ତୁଚ୍ଛ ହୋଇବାର

ଶୁଣି ତ ଥିବ ସେ ରବ ।

 

।୪।

କେତେ ଯତୀନ୍ଦ୍ର ବିବୁଧଗଣ

ବିଦ୍ୟା ବିଭବ ବୀର୍ଯ୍ୟେ ନିପୁଣ

ଭାନୁ ଶଶି ଯା’ଙ୍କ ପ୍ରଭାରେ ନିଉନ

ଅର୍ଘ୍ୟାଞ୍ଜଳି କରିବେ ଅର୍ପଣ

ସଜ୍ଜନ-କୃତ ଭାବିବେ କୃତ୍ୟ ଜୀବନ

ସେହି ମହୀୟାନ ପରଂବ୍ରହ୍ମଙ୍କର

କରିବ ପାଦେ ବନ୍ଦନ ।

 

।୫।

ଚାହୁଁ ପ୍ରବେଶ ସରଯୁତଟ

ସୀତାରାମ ପ୍ରେମେ ତଦଗତ

ଚକ୍ଷୁ ହୀନ ଦୀନ ଜୀର୍ଣ୍ଣ ଯାଚକଙ୍କୁ

ପଥେ ଦେଖି ଆଚମ୍ବିତ

ଦ୍ରବିଣ, ଦାନ କରୁଁ ନିଜ କଣ୍ଠହାର

ପୁଚ୍ଛିଲା କେ ତୁମ୍ଭେ କହ ହେ ଉଦାର !

ଦାରିଦ୍ର୍ୟ ଦୁଃଖ ସଂହାର ?

 

।୬।

“ଦାଶରଥୀ ମୁଁ ଅଯୋଧ୍ୟା ସୁତ

ପ୍ରଜାହିତ ବ୍ରତ ମୁଁ ଭରତ

ଶୁଣିଲା କ୍ଷଣକେ କି କର୍ମ ବିପାକେ

ହୀନଧନ ପରାପତ

ଦୁର୍ଦ୍ଦିନ, ଥାଉ ଥାଉ ରଖ ଦାତା ଦାନ

ଚକ୍ଷୁହୀନ ସତ; ହୋଇନାହିଁ ମୁଁ ତ

ଧରମ ପଥ ଅଜ୍ଞାନ ।

 

 

 

।୭।

ଅଗ୍ରଜଙ୍କୁ ଦେଇ ବନବାସ

ସିଂହାସନକୁ ଯା’ର ଲାଳସ

ହେଉ ସେ ନୀଚାତ୍ମ ବିଷ୍ଣୂ ବା ମହେଶ

ଜାଣୁଁ ସେ ବିଶ୍ୱ- କଳ୍ମକ୍ଷ

ଜୀବନେ, ଦସ୍ୟୁ ଆତତାୟୀଠାରୁ ହୀନ

ତା’ ପାପ ପରଶେ ଟଳେ ବସୁନ୍ଧରା

କୃମି କୀଟ ଘୃଣ୍ୟ ଦୀନ ।

 

।୮।

ମାତୃ ଗର୍ଭେ ଜୀବ ଥିବା କାଳେ

ମାତୃବକ୍ଷ ସ୍ତନ୍ୟେ ଭରାଇଲେ

ଥାଉଁ ସେ ସାମନ୍ତ ଏଡ଼େ କୃପାବନ୍ତ

କେ ପାପୀ ପେଟ ବିକଳେ

ନିଷ୍ଫଳ, ପାପ ପଙ୍କରେ ହେବ ପଙ୍କିଳ !

ଅଜ ରଘୁ ଦିଲୀପଙ୍କ ପୁଣ୍ୟପୀଠ

କରିଲ କେଡ଼େ ପୁଷ୍କଳ !

 

 

 

 

 

।୯।

‘‘ଏ କି ଏ କି ଅଦ୍ଭୁତ ବଚନ

ବ୍ରଜମୁନେ କି ବିନ୍ଧିଲୁ ମନ

କହ କାହିଁ ପାଇଁ ଏ କଟୁ ବଚନ

ରଘୁବଂଶେ କିଏ ଏଡ଼େ ହୀନ

ଯାଚକ, କର୍ଣ୍ଣେ ବାଜିଛି କା’ର କଳଙ୍କ

ଅଗ୍ରଜଙ୍କୁ ବନବାସ ! ଏ କି କଥା

କିଏ ହେଲା ରାଜ୍ୟରଙ୍କ ?

 

।୧୦।

ମୋତେ ଫିଟାଇ କହ ବାରତା ?

ସର୍ଗୁ ଖସି କି କହୁଛ କଥା !

ଜନନୀ ତୁମର କେଡ଼େ ଗଉରବ

ଗଢିଛନ୍ତି ପାଟଛତା

କୁମର, ବିଶ୍ୱବିଜୟୀ ହେଲେ ଏଥର

ଶତ ଶଙ୍ଖେ ତବ ବନ୍ଦାଣ ହୋଇବ

ଶତ ଡ଼ିଣ୍ଡିମେ ପ୍ରଚାର ।

 

 

 

।୧୧।

ଯକ୍ଷଃ ସଂଗ୍ରାମେ ଜନନୀଙ୍କର

ପତି ସେବାର ଏ ପୁରସ୍କାର

ଯଥା କାଳେ ବରଭିକ୍ଷା କରିବାରୁ

ଫିଟିଲା କର୍ମ ତୁମ୍ଭର

ଉଦାର ! ଦ୍ୱନ୍ଦହୀନ ରାଜ୍ୟେ ଯଶୋଧର

ସାର୍ଥକ ହୋଇଛି କୁଟ କଉଶଳ

ନିର୍ବାସନ ଶ୍ରୀରାମର ।

 

।୧୨।

ଭାଜିନାହିଁ କି ଏ ଦିବି ପଥ

ଧସିନାହିଁ ଧରାତଳେ ରଥ

ଭାନୁ ଶଶି ଆତଯାତ ହେଉଛି କି

ବାସୁକୀ ଅଛି ସଚେତ !

ସରଯୁ, ଗ୍ରାସିନି କି ପାପ ରାଜଧାନୀ !

ସୁର ରମ୍ୟା ହର୍ମ୍ୟ ହେଲା ଗୁଳ୍ମଭୁମି

ନାଚିଲେ କି କାଳଫଣି ।

 

 

 

 

 

।୧୩।

ଟଳ ଟଳ ହେଲା ଭୁମଣ୍ଡଳ

ପଥେ ଦେଖିଲେ ଶୁନ୍ୟ ସକଳ

ନିର୍ବାତ ନିସ୍ୱନ ନିରାନନ୍ଦମୟ

ଚରାଚର ସର୍ବ ସ୍ଥଳ

ଅଯୋଧ୍ୟା, ଶିରିହୀନା ଅଙ୍କଶୂନ୍ୟା ବନ୍ଧ୍ୟା

ରାଜଦାଣ୍ଡେ ନାହିଁ କଳ-କୋଳାହଳ

ନିରୀପା ନିଧୂପା ସନ୍ଧ୍ୟା ।

***

 

ତୃତୀୟ ପର୍ବ

(ମାଣ୍ଡବୀଙ୍କର ଭରତଙ୍କଠାରେ ରାଜା ଦଶରଥଙ୍କର ମହାପ୍ରୟାଣ ବର୍ଣ୍ଣନା)

(ରାମକେରୀ)

 

ମନ୍ଥରା ମତ୍ରଣା ମନ୍ତର

ଧୂଳି ଉଡ଼ି ଅମ୍ବରେ,

କାଳକୂଟ ବିଷ-ବାଷ୍ପର

ତେଜ ତାପ ବିତରେ ।

 

ହାହାକାର ଅଶ୍ରୂ ନିର୍ଝର

ଦୀର୍ଘଶ୍ୱାସ ଫୁତ୍ କାରେ,

ଶିରି ସୈାଭାଗ୍ୟ ଆହ୍ଲାଦରେ

ହାସ ପୁଷ୍ପ ସଂହାରେ ।

 

ନନ୍ଦନ ହୋଇଛି ଶ୍ମଶାନ

ଚିତାଗ୍ନିର ଝଲକ,

ପୋଡ଼ିଦେଲାଣି କି ଅବଧ

ପୁର ପ୍ରାନ୍ତ ଭାଲକ ।

 

 

 

ଜନହୀନ ରାଜଦାଣ୍ଡରେ

ବୁଲୁଥିଲେ ଶୃଗାଳ,

ଉଡ଼ିଗଲେ ଗୃଧ୍ର ଉଲୁକ

ଏ କି ହେଲା ଅକାଳ ।

 

ନାହାନ୍ତି ରାଜିବ-ଲୋଚନ

ଜଟା ବଳ୍‌କଲ ଚୀର,

ପିତୃ-ସତ୍ୟେ ଦୃଢ-ବ୍ରତ ସେ

ବନେ ଗଲେଣି ଧୀର ।

 

ନାହାନ୍ତି ଜନନୀ ମୈଥିଳୀ

ଅହ୍ଲାଦିନୀ ପାବନୀ,

ଶତ କୁନ୍ତ ବିନ୍ଧ ମନ୍ଥିଲା

ନ ଦିଶିଲା ସରଣୀ ।

 

ବାର୍ତ୍ତା ଏ କି ବଜ୍ର ବାଟୁଳି

ବାଣ-ବିଦ୍ଧ ହର୍ଯ୍ୟକ୍ଷ,

ଟଳି ପଡ଼ିଲେ କି ପାବଚ୍ଛେ

ହତଜ୍ଞାନ ଅଲକ୍ଷ୍ୟ ।

 

ବୁଡ଼ିଲା ବୁଡ଼ିଲା ତରଣୀ

ରଘୁବଂଶ ଗାରିମା,

କାମିନୀ କାଳକୂଟ ଧୂମେ

ଘୋଟିଛି କି ନ୍ତ୍ରଯାମା ।

 

ଗୋଟି ଗୋଟି କହ ଫିଟାଇ

ମୃତ୍ୟୁକାଳ ବାରତା ?

ଦୁର୍ଘଟଣା ବାତ୍ୟା ଛେଦିଲା

ଜୀର୍ଣ୍ଣ ଜୀବନ ଲତା ।

 

କେମନ୍ତେ ନୟନେ ଦେଖିଲେ

ସୀତା ରାମ ଲକ୍ଷ୍ମଣ,

ପ୍ରଣିପାତ କାଳେ ଥିଲା ତ

ତାଙ୍କ ଶ୍ୱାସ ସ୍ପନ୍ଦନ ?

 

ମାଣ୍ଡବୀ ବୋଲନ୍ତି କେମନ୍ତେ

କେଉଁ କର୍ଣ୍ଣେ ଶୁଣିବ,

ବିକଳ ଅଯୋଧ୍ୟା ବର୍ଣ୍ଣନା

କେଉଁ ତୁଣ୍ଡ ବର୍ଣ୍ଣିବ !

 

 

 

ସ୍ତିମିତ ଜୀବନ ପ୍ରଦୀପ

ବୃଦ୍ଧ ଜନକଙ୍କର,

ଶ୍ରବୁଥିଲା ମାତ୍ର ନୟନୁଁ

ଅନର୍ଗଳ ନିର୍ଝର ।

 

ଶତ ଆଲଟ ବ୍ୟଜନରେ

ଅଙ୍ଗ ନୋହେ ଶୀତଳ,

ଶତ ମୃଗନାଭି ଲେପନେ

ତାହା ବଢ଼େ କେବଳ ।

 

ହା ରାମ ରାମ ରେ ରାମ ରେ

ହୃଦ ହରି ଚନ୍ଦନ,

ଆଉ କି ଦେଖିବି ନାହିଁ ରେ

ଚାରୁ ଚନ୍ଦ୍ର ବଦନ ।

 

ନୀତିଭ୍ରଷ୍ଟ ତାତ କୁଳିଶେ

ତୋତେ କଲି ଦହନ,

ନିରିମାଖୀ ମାତା ଜାନକୀ

ପାନ୍ଧାଇଲି ଅଜିନ ।

 

ବଡ଼ ଟାଣ ତ ଏ ଜୀବନ

ଗତିଶୀଳ ରହିଛି,

ରଘୁବଂଶେ କୁଳ କଳଙ୍କୀ

ତଥାପି ତ ବଞ୍ଚିଛି ।

 

ତୋ ଗୁରୁ ଅଧରେ ଚୁମ୍ବନ

ତୋର କଟାକ୍ଷ ଚାହିଁ,

ରକ୍ତିମ ତୋ ଗଣ୍ଡମଣ୍ଡଳେ

ମୋର ଗଣ୍ଡ ଲେପାଇ ।

 

ବକ୍ଷକୁ ମୃଦଳ ଶୀତଳ

ସ୍ନିଗ୍‌ଧ ଅଙ୍ଗ ପରଶ,

ନିମିଶେ ନିମିଷେ ପୀୟୂଷେ

ଭରୁଥିଲା କଳଶ ।

 

ଶତ ଜନମର ପରାଣ

ପଲକରେ ଉଶ୍ୱାସ,

କହ ଗୋ କୈାଶଲ୍ୟା ଦେବ କି

ସତୀ ଦ୍ରୋହେ ଆଶ୍ୱାସ ।

 

 

 

କାମିନୀ ଲମ୍ପଟ କାମୁକ

ତୋତେ ହେଲି ଭଗାରୀ,

ଗ୍ରାସ କଲି ତୋତେ ତୋ ସାଙ୍ଗେ

ବିଶ୍ୱ ଦେଲି ସଂହାରି ।

 

ଜାଣି ତ ନ ଥିଲି କୁସୁମେ

କୀଟ ଥାଏ ଏପରି,

ମୋହିନୀ-ମଦିରା ସୁସ୍ୱାଦୁ

ଏଡ଼େ ଉନ୍ମାଦକାରୀ ।

 

ଆଜ ମନେ ପଡ଼େ ସେ ଦିନ

ସୁକୁମାର ବାଳୁତ,

ଲଳିତ କଳିକା ‘ଶ୍ରବଣ’

ମୁଖ ସତ୍ୟସମ୍ପୂତ ।

 

ଜଡ଼ିବଟ ଝରେ କଳଶ

ଭାସୁଥିଲା ବିକଳେ,

‘କିଏ ରେ କି କଲୁ ପାମର’

ଶ୍ରୁତି କନ୍ଦରେ ଖେଳେ ।

 

ଅନ୍ଧ ଦମ୍ପତିଙ୍କ ଚିତାଗ୍ନି

ପାଶେ ପାତକୀ ମୁହିଁ,

ଧୂମାୟିତ ବିଳ୍ୱବନର

ଧୂମରେଖା ଦେଖଇଁ ।

 

ନିର୍ନିମେଷ ମୁକ ନୟନେ

ଅଭିଶାପ ସକଲ,

ଶିରୋଧାର୍ଯ୍ୟ କଲି ସେ ଦିନ

ଆଜି ଲଭୁଛି ଫଳ ।

 

ଅଶ୍ରାନ୍ତ ଅର୍ବୁଦ ପାପର

ଯେତେ କରାଳ ଛାୟା,

ମୃର୍ତ୍ତିମନ୍ତ ଗୋଟି ଗୋଟି କି

ଗ୍ରାସି ଦେବାକୁ କାୟା ।

 

ହା ରାମ ରାମ ଅଭିରାମ

ଆରେ ନିଷ୍କଳ ଚାନ୍ଦ,

ଏ ଜୀବ ବାହାରି ଯାଉରେ

ପ୍ରେମ ଆହ୍ଲାଦ ଫାନ୍ଦ ।

 

 

 

ଏତିକି ମାତର ଶୁଣାଇ

ତାତ ନୀରବ ହେଲେ,

ଜଳ ଟୋପେ ଦେବେ କଣ୍ଠକୁ

କେହି ପୁତ୍ର ନଥିଲେ ।

***

 

ଚତୁର୍ଥ ପର୍ବ

 

ରାମଲୀଳାରେ ବ୍ୟବହୃତ ହେଉଥିବା ଢ଼ୁଆମାନଙ୍କ ପ୍ରାୟ କେବଳ ଛନ୍ଦବନ୍ଧ ଗଦ୍ୟରେ ପ୍ରଥମ ଦୁଇ ପଙ୍‍କ୍ତି କହି ସାରି, ତତ୍ପରେ ଆଡତାଳିରେ ଅପର ପଙ୍‍କ୍ତିମାନ ଗାଇ ଧାମଲ ଦେଲେ ଅତି ସୁଖଶ୍ରାବ୍ୟ ହେବ ।

 

ମନ୍ଥରା ଓ ଭରତ ପ୍ରସଙ୍ଗରେ ସ୍ଥଳବିଶେଷେ ଗ୍ରାମ୍ୟରସ ପ୍ରୟୋଜନ ହୋଇପାରେ । ଅଶ୍ଳିଳ ବା ଏକାନ୍ତ ଅଭବ୍ୟ ନ କରି ଗ୍ରାମ୍ୟରସ ପରିବେଷଣ କରିବାର ତାତ୍ପର୍ଯ୍ୟ ଅଛି । ଏଠାରେ ଦ୍ୱିତୀୟ ପଦଠାରୁ ଷଷ୍ଠପଦ ସେହି ଉଦ୍ଦେଶ୍ୟରେ ରଚିତ । ଦେଶ,କାଳ,ପାତ୍ର ବିଚାର ଗାୟକମାନେ କୈାତୁକ ସର୍ଜନା କରି ପାରନ୍ତି, ତେଣୁ ପ୍ରୟୋଗ ଇଛାଧୀନ-ବିଭତ୍ସ ରସସ୍ଫୁତି ଓ ହାସ୍ୟ ।

 

କ୍ରୋଧେ ଅଭିମାନ ଲଜ୍ଜାରେ ଜର୍ଜର

କୁମର ଆଗତ ପୁରେ

ଝରୁଥିଲା ତାଙ୍କ ନୟନୁ ସ୍ପୂର୍ଲିଙ୍ଗ

ମନ୍ଥରା ଦେଖିଲେ ଦୂରେ,

ସେ ତ ପୃଥଳଦେହା

ବନ୍ୟ ବରହୀକି ବରାରୋହା

ଅଖଣ୍ଡିତ କୁଷ୍ମାଣ୍ଡ

ବକ୍ଷେ ଝୁଲୁଥିଲା ବିଷଭାଣ୍ଡ ।୧।

 

 

 

 

 

କଟାସ କଟାକ୍ଷୀ ଚିହ୍ଲା ଆଖିତଳେ

ମାରିଛି କଜ୍ୱଳ ଗାର,

କଳା ମସମସ ମିସିଘସା ଦାନ୍ତ

ସୁନାଖିଲ ଜି ବାହାର

ଓଷ୍ଠେ ତାମ୍ବୁଳବୋଳ

ଝରିପଡ଼େ ଡବଡବ ନାଳ

ପାଦତଳେ ଝୁଣ୍ଟିଆ

ବିଶ୍ୱ କଲିଜାକମ୍ପା ଖୁଣ୍ଟିଆ ।୨।

 

କଟି ତଟେ ଭିଡ଼ା ପିନ୍ଧିଲା ବସନ

ଡଗରା କନକ କଣ୍ଠୀ

ତାବିଜ କଙ୍କଣ ଗୋଠମାଳ ନାସା

ବସଣିର ପାରିପାଟି,

କୋଟିକମ ସିନ୍ଦୁର

ଦୁଇ ଭୁରୁ ମଧ୍ୟେ କି ସୁନ୍ଦର

କର୍ଣ୍ଣେ ପୁଷ୍ପ ଝୁମୁକା

ମଧ୍ୟେ ଝାଲେରୀ ରତ୍ନଦୁମୁକା ।୩।

 

କଞ୍ଚା ଦରପଚା ଘୁଷୁରୀ ଲାଂଗୁଳ

ପରାୟେ ଚାରୁକୁନ୍ତଳ

ତହିଁ ବାସତେଲ ମହଣ ପାଟିଆ

ମାର୍ଜନ କି ଝଲମଲ,

ତୈଳସିକ୍ତ ଲଲାଟ

ମଧ୍ୟେ ମଥାମଣି କି ଉଚ୍ଚାଟ

ଉର୍ଦ୍ଧ୍ୱେଚନ୍ଦ୍ର ରାଗିଡ଼ୀ

ଦୋହଲାଇ ଚାଲେ ଚିଡ଼ିଗିଡ଼ି ।୪।

 

ଚନ୍ତ୍ରାକାର ଡୋଳା ଚକିରି ମାରଇ

ଗଗନେ ପବନେ ଉଡ଼ି

କାହିଁ ଫୁସୁଫୁସୁ କାହିଁ ଗଦଗଦ

କହିଁ ଛାଡ଼େ ଭୀମା ରଡ଼ି,

ହିତ ବଚନମାନ

ଅକାତରେ କରେ ବିତରଣ

ତାର କୈାଶଳ ମୂଳ

ବୁଦ୍ଧି ବଳେ ନାହିଁ ଥଳକୂଳ ।୫।

 

ନୋଲାକ ମଲ ସେ ବାଙ୍କିଆ ପିନ୍ଧିଛ

ଟୋକାଏ କରନ୍ତି ଥଟ୍ଟା

ଜେମା ଜେମା ବୋଲି ହେହି ନ

ଡାକିଲେ ମନ ହୋଇ ଖଟା

ହେଲେ ଧରମ ଭାଇ

ଭିଣୋଇରୁ ନିଶ୍ଚେ ପଣେ ଥାଇ

ଉଆସରେ ନୌକର

ଦରବୁଢ଼ୀର ସର୍ବେ ଦିଅର ।୬।

 

‘‘ମରିଯାଏଁ ଧନ ! ଚାହିଁ ଆଗମନ

ଆଖିରୁ ମଲାଣି ପାଣି

ସମୟ ସୁଯୋଗ ବେଉଷଣେ ପାଗ

ହୁଡ଼ିଲେ କି ମିଲେ ପାଣି

ଧର ଟାଣ ମୁଗୁର

ଟାଣ ଲୁହାକୁ ଟାଣ ପାହାଳ

ପ୍ରଜାପାଟ କିଙ୍କର

ଥୋବରାଙ୍କ ଉଗୁରୀ ଅପାର ।୭।

 

ବାଳୁତ କାଳରେ ଖେଳୁଥିଲା ବେଳେ

ଭାବୁଥିଲି ଅବିରତ

ଆହା ଏହି ମୋର ଗଉରଚନ୍ଦ୍ରର

ହେବ କି ବଦାଡ଼ି ଖତ

ପଡ଼ି ଭାତ ଭିକାରୀ

ହୋଇ କେମନ୍ତେ ଥିବ ଦୁଲାରୀ

ସେ ତ ଭାଇ ଭଗାରି

ସତେ ଦେଖିବେ କି ଏଙ୍କ ଶିର ।୮।

 

ଫୋଡ଼ାଇବେ ମୁନ, ସେ ପଥ ରଖିନି

ଚଉଦ ବରଷ ବନ

ସେ ଯେଉଁ ଦଣ୍ଡକା, ପାଟିକି ଛାଟିବେ

ବାଘ ଅଜଗରମାନ

ସବୁ ମୋର ଫିକର

ଅଣ ବଇରି ରାଜ୍ୟ ନବର

ଜାଣ ବେଦର ଗାର

ଅସୁରଙ୍କ ପାଟିକି ଆହାର ।୯।

 

ଏହି ପୁରସ୍କାର ଦିବ୍ୟ ରତ୍ନହାର

ଜନନୀ ହେଲେ ତୁମ୍ବର

ହାଣକାଟ ଲୁହଲୁହାଣ କିଛିନି

କୌଶଳେ କାର୍ଯ୍ୟ ଉଦ୍ଧାର’’

କହୁଁ ଚୁଟି ଉପରେ

କା’ର କର୍କଶ କର ସଞ୍ଚାର

ଶିରେ ଖର କୃପାଣ

ଚାହୁଁ ତିନ୍ତିଲା ପିନ୍ଧା ବସନ ।୧୦।

 

ପାପିନୀ ମନ୍ଥରା । ଶୁଣିଛ ସକାଳ

ଦେବି ଯୋଗ୍ୟ ଉପଚାର

ଆଣିଛୁ ମୋ ଲାଗି ରାଜସିଂହାସନ

ଜନନୀ ସୁଖ ସମ୍ଭାର

ଅଛି ରୀତି ବିଧାନ

ନବସିଂହାସନେ ବଳିଦାନ

ଶୋଣିତରୁ ମାର୍ଜଣ

ତେଣୁ ଆଦ୍ୟେ କଲି ଆୟୋଜନ ।୧୧।

 

ଏକି ଏକି! ଯାହା ବୋଲନ୍ତି ସତକି

ରାଜାମନ ନୋହେ କଳି

କେବେ ଧ୍ୱଜା କେବେ କ୍ଷୀର ଖଣ୍ଡଖଜା

କେବେ ଭାଗ୍ୟେ ବିଶାବଳି ।

ଆର୍ତ୍ତନାଦ ଚିତକାର

ଶୁଣି କୌଶଲ୍ୟା ଧରନ୍ତି କର

ବାବୁ । ଏ କି ବେଭାର

ଅବଳାଙ୍କୁ ଏ କି ଅତ୍ୟାଚାର ? ।୧୨।

 

ଅବଳା ନୋହେ ଏ ଶଶ୍ମାନ ଡାକିନୀ

ମେଦିନୀକି ଦେଲା ଦହି

ଚାଟୁ ଭାଷଣରେ ମନ୍ତର ମୁଖରା

କାଳାନଳ ଢ଼ଳା ଅହି

ସଖିନାଟ କୁଣ୍ଡାଇ

ନଚାଇଲା ପାପିନୀ ଭଣ୍ଡାଇ

ଖାଲ ଖୋଳି କୁମ୍ଭୀର

ଆଣି ଭରାଇଛ ଏ ନବର ।୧୩।

 

ଯା ଥିଲା ଲଲାଟେ ସଫଳ ହୋଇଲା

ସେତ ମାତ୍ର ପରିଚାରୀ

ପଦାଘାତେ କଟିହାଡ ମଟକିଲା

ପଡ଼ିଗଲା ମୁହମାଡ଼ି

ଆସୁଁ କେକୟଜେମା

ରଡ଼ି ଛାଡ଼ି କାନ୍ଦିଲା ସେ ବାମା

ଏ କି ଉଦ୍ ବାର୍ଯ୍ୟ ରୀତି

ପଳା ପଳା ଯେବେ ଭଲ ଗତି ।୧୪।

 

 

 

 

ମାlତ୍ରକ କେବଳ ଗର୍ଭଧାରିଣୀ ଗୋ

ତେଣୁ ମୁହିଁ ଅନାୟତ୍ତ

ନୋହେ ଦେଖିଥାନ୍ତ ଶାଣିତ କୃପାଣେ

ଶୋଣିତେ କରାଇ ସ୍ନାତ

ପ୍ରାୟଶ୍ଚିତ ପାପର

କରିଥାନ୍ତା ସନ୍ତାନ ମୁକର

ରଘୁକୁଳ ବଧୁଙ୍କ

ପୋଛାନ୍ତ ସ୍ୱାର୍ଥ କଳଙ୍କ ।୧୫।

 

ଅଜ ରଘୁ ଅବା ଦିଲୀପ ଈକ୍ଷ୍ୱାକୁ

ମୋହପରି ରାଜପଣ

ଲଭି ନ ପାରିଲେ ଭାଗ୍ୟବନ୍ତ କେହି

ଜନନୀଙ୍କ ମହାଦାନ

ଖ୍ୟାତି ତିନିଭୂବନ

ମଣି କାଞ୍ଚନ ମୁଁ ଅକଳନ

ହେଲା ସାର୍ଥ ଜୀବନ

ସୀତାରାମେ ପଠାଇଲି ବନ ।୧୬।

 

 

 

 

ଶୁଣ ମାତା ଶୁଣ, ଭରତର ପଣ,

ଏହି ମୋର ଶେଷ ଦେଖା

ଦେଇଥିଲ ସ୍ତନ୍ୟ,ଦେଲ ଯେଉଁ ପୁଣ୍ୟ

ଯୁଗାନ୍ତ ରହିଲା ଲେଖା

ବୋଲି ଉନ୍ମାଦ ଧାଏଁ

ଚକ୍ରେ ଚେତନାହତ ପରାୟେ

ମୋର ତହିଁ ଆସନ

ସେହି ବନେ ସେହି ଶ୍ରୀଚରଣ ।୧୭।

 

ବକ୍ଷ ଉପରେ ସ୍ତନଦୋଟି କଖାରୁପରି ଓହୋଳିଛି, ସ୍ୱଚ୍ଛ ବିଷଭାଣ୍ଡ କି ? ଆଗନ୍ତୁକମାନଙ୍କୁ ‘ଘୁଞ୍ଚି ଯା’ ଘୁଞ୍ଚି ଯା କହୁଛି କି ?

 

ନୋଲକ, ମଲ, ବାଙ୍କିଆ ଅନୁଢ଼ା ଝିଏ ପିନ୍ଧନ୍ତି । ବୁଢ଼ୀର କିଶୋରୀ ଯୁବତୀ ହେବାକୁ ବେଜାଏ ଆଗ୍ରହ । ଭରତଙ୍କୁ ଦେଖି ହତେଈ ନାନୀ ଗେହ୍ଲେଇ ଦଉଛନ୍ତି ।

***

 

ପଞ୍ଚମ ପର୍ବ

ଗୃହ କାଳୟେ ଭରତ ଓ ପୁରବାସୀଗଣ

 

(ଗଭୀର ମନବେଦନାଗୁଡ଼ିକ କି କି ଲକ୍ଷଣ ଦ୍ୱାରା ପ୍ରକଟ କର । ହେଉଛି, ଶୀଳ୍ପୀଙ୍କର କୌଶଳ ଲକ୍ଷ୍ୟ କରିବା କଥା । ପୃଙ୍ଖାନୁପୃଙ୍ଖ ଚରିତ୍ର ବିଶ୍ଲେଷଣ କରି ସଭାସ୍ଥଳକୁ ରସାୟିତ କରିବାକୁ ହେବ । ସାବଧାନେ ଗତି କରନ୍ତୁ-ଏକ ଦିଗେ ଭରତ, ଅନ୍ୟ ଦିଗେ ଗୁହକ ଉଭୟେ ସୁନ୍ଦର ।)

(ଚୋଖୀ)

 

ମିତ୍ର ମିତଣୀଙ୍କି ତହିଁ ଜାହ୍ନବୀ ପାରି କରାଇ

ନୀରାହାରେ ଅଶ୍ରୁନୀରେ ବନ୍ୟ ଦମ୍ପତି

ଜଟା ବଳ୍‌କଳ ବନ୍ଧନ ନିବନ୍ଧନ କ୍ଲେଶମାନ

ଭାବି ଭାବନାରେ ହେଉଥିଲେ କରତି

ଏକାଳେ ମିଳିଲା ଉଦନ୍ତ

ଚତୁରଙ୍ଗ ବାହିନୀ ଆଣୁଛି ଭରତ

ଗଜବାଜି ସେନାବାର ପ୍ରଜାପାଟ ଅକୁପାର

ନିଶୀଥେ ସଞ୍ଚାର ଆୟୋଜନ ବୃହତ ।୧।

 

ଗରଜାଇ ଦେଉ ଭେରୀ ଗିରିକନ୍ଦର ବିଦାରି

ଶତ ଭଲ୍ଲ ଶତ ମଲ କୋଦଣ୍ଡଧାରୀ

ଶତ ଉଚ୍ଚାଟ ଚିତକାର ଆୟୁଧ ଶତ ସମ୍ଭାର

କି ଶଙ୍କଟ ନାଗରା ଦେଲୁ ରେ ଏପରି

ମିତ୍ର-ବୈରୀ ଦୁଷ୍ଟ ଭରତ

ବିଧିମତ ଶିକ୍ଷା ଦେବି ବାଞ୍ଛା ଜାଗ୍ରତ

ବଳିଷ୍ଠପଣେ ଗରିଷ୍ଠ ମନେ ମନେ ଭାରି ଆଣ୍ଟ

ପିମ୍ପୁଡ଼ି ଡେଣାକୁ ପର ହେଲା ସଂଜାତ ।୨।

 

ଭାବିଛ ପରା ଅନାଥ ବନମଧ୍ୟେ ସୀତାନାଥ

ନାହିଁ ତାଙ୍କ ସହାୟ ସମ୍ବଳ ନିର୍ଦ୍ଧନ ।

ପାଞ୍ଚିଛି ଜୀବନ ନେବ ରାଜ୍ୟେ ଧ୍ୱଜା ଉଡ଼ାଇବ

କାଳ କାଳକୁ ଅଟଳ ଥିବ ଆସନ

ବିଚିତ୍ର ଦୂରରୁ ଦେଖିଲା

ନାହିଁ ରାଜପଣ ମୁଖେ କାଳିମାବୋଳା

ପିନ୍ଧିଛି ଗୈରିକ ବାସ ଚଳୁଛି ଅଙ୍ଗ ଅଳସ

ରଥେ ପୁରାଙ୍ଗନା ପଥେ ଗତି ଶିଥିଳା |୩|

 

ନିସ୍ୱନ ଗତି ମନ୍ଥର ତେଜହୀନ ସେନାବାର

ନାହିଁ କେୟୁର କିରୀଟ ନାହିଁ ଚାମର

ପୁରୋଧା ଗୁରୁ କିଙ୍କର ପ୍ରଜାପାଟ ଅନୂଚର

ଶତ ଭୁସୂର ବଶିଷ୍ଠେ’ ଛନ୍ତି ସଙ୍ଗର

ଏକାକୀ ଚଳିଲେ ନିକଟ,

କାକୁତ୍ସ ଭରତ ବ୍ୟାଧ ପାଦେ ପ୍ରଣତ

ଶୁଣିଛି ସୁମତ୍ରମୁଖେ ଭାଗ୍ୟବନ୍ତ ସୁରଲୋକେ

ତୁମ୍ଭ ପରା ବିରଳ ଉଦାର ଚରିତ ।୪।

 

କହ କହ ଗୁରୁ ମିତ୍ର କାହାନ୍ତି ରାଜିବନେତ୍ର

କ୍ଷମାଶୀଳ ଅପରାଧ ଦେବେ କି କ୍ଷମା ?

ସ୍ନେହ ମୃଦୁଳ କଟାକ୍ଷ ସତେ କି ହେବ ପ୍ରତ୍ୟକ୍ଷ

ଦେବର ବୋଲି ଆଦର କରିବେ ରମା ?

ସ୍ୱାର୍ଥ କାମା ନାରୀଙ୍କ ଲୀଳା

ଅଦୃଷ୍ଟେ ଥିଲା କଳଙ୍କ ବିଚ୍ଛେଦ-ଜ୍ୱାଳା !

କ୍ଷମାନୁକମ୍ପାଧରଙ୍କୁ ଅଜଣା କି ଥିବା ତାଙ୍କୁ

ଆଜନ୍ମ ହେବ କି ରୁଦ୍ଧ ଶଶାଙ୍କ-ଶାଳା ।୫।

 

କହ କହ ଏକି ସତ ଯାମିନୀ ହେଲେ ଲୁଣ୍ଠିତ

ଅଯୋଧ୍ୟାର ଯାମିନୀ ଭୁଷଣ ଦୟିତ ?

ବାସ୍ତବେ ଦେଖିଲେ ତହିଁ ଅଙ୍ଗରାଗ ଲଗିଛଇଁ

ଉତ୍ତରୀୟ ଉନସୁତ୍ର ଥିଲା କିଞ୍ଚିତ

ଧରଣୀ ଜେମାଙ୍କ ସୀମନ୍ତ

ସିନ୍ଦୁର ବୋଳ ରଞ୍ଜିତ ରଜ ଜଡ଼ିତ

ତହିଁ କୁନ୍ତଳ କେଶର ଗୋଟିଏ ଖସି ରୁଚିର

ଛନ୍ଦ ହୋଇ ରହିଥିଲା ତୃଣ ସଙ୍ଗତ ।୬।

 

କାହାଯୋଗୁଁ ଏ ଗଞ୍ଜନା ଭାଗ୍ୟହୀନା ବରାନନା

କାହାଯୋଗୁଁ ପୁଣ୍ୟବ୍ରତ ବନେ ନିବାସ

କାହାଯୋଗୁଁ ବୃଦ୍ଧା ମାତା ଛିନ୍ନ ଲତା ବିଦଲତା

ବିନିର୍ଜିତା ଅଯୋଦ୍ଦାର ଶିର ସଙ୍କାଶ

ହୋଇଛି ତ ପିତୃ-ବିୟୋଗ

ପୁର୍ଣ୍ଣକାମ ଏତେ ଦିନେ ପୂର୍ଣ୍ଣ ସମ୍ଭୋଗ

ଶରଦ ଇନ୍ଦୁ ସମାନ ପଙ୍କଜବନ ଭୁହିନ

ଚନ୍ଦନ ପାଦପେ ହେଲି କାଳୀୟ ନାଗ ।୭।

 

ନେତ୍ର ହେଲାଳ ଛଳ ଛଳ ଆରକ୍ତ-ମୁଖମଣ୍ଡଳ

ଆଚମ୍ଵିତେ ଗଙ୍ଗାଜଳେ ଦେଲେ କି ଝାସ

ଆତ୍ମଘାତୀ ନହୋଇବି ତୁଷାନଳେ ଜଳୁଥିବି

ଦିଅ ବଟକ୍ଷୀର ଭଷ୍ମ ଅଜିନ ବାସ

ସେହି ଧୂଳି ଅଙ୍ଗେ ବୋଳାଇ

ଶିଶୁ କି ଉନ୍ମାଦ କେହି କାନ୍ଦେ ତୁହାଇ

କହ କହ ସବିଶେଷ କାହାନ୍ତି ଦଗନ୍ମି ବାସ

ଦୟାକର ହେ ନିଷାଦ ! ଦିଅ ମିଳାଇ” ।୮।

 

ତଥାପି ରାଜେନ୍ଦ୍ର-ସୁତ ! ବିଶ୍ୱାସ ନୋହେ ବିହିତ

ସତ୍ୟ କି ଶୀରାମ-ହତ୍ୟା ନାହିଁ ଅନ୍ତରେ

କିତବ ଚାତୁରୀମାନ ଦେଖିଛି କେତେ ନୟନ

ଅଗ୍ନି ଛୁଇଁ ନକଲେ ଶପଥ ଅନ୍ତରେ

ଅପ୍ରମାଣ ତୋର ଭାଷଣ

ଜାତିରେ ସତ ନିଷାଦ, ନୋହେ ଅଜ୍ଞାନ

ରାଘବ ଗମନ ପଥ ତୋହପରି ଶତ ଶତ

ଜାଣି ନ ପାରିବେ ସେ ତ ଅଗମ୍ୟ ସ୍ଥାନ ।୯।

 

କେବଳ ନୋହେ ଏତିକି ତୋ ବଳବୀର୍ଯ୍ୟ ଯେତିକି

ମୋତେ ଦିଶୁଛି ସେମାନ କୀଟ ପ୍ରମାଣ

ଭ୍ରାତୃଦ୍ରୋହୀ ତୁହି ହୀନ କରିଦେଲି ସାବଧାନ

ତୁହି ଉଇହୁଙ୍କା, ମୁହିଁ ଗିରି ସମାନ

କରନ୍ତୁ ଯେ କରିବେ କ୍ଷମା

ନିଷାଦ ନୟନେ ତୁହି କ୍ରୁର କରମା

ପାପଗ୍ରସ୍ତ କଳୁଷ ତ ଦେଖାନ୍ତି ମାୟା ବହୁତ

ଭେଳିକି ମଧୁର ଭକ୍ତି ସୁଆଙ୍ଗ ନାନା ।୧୦।

 

 

 

ଚରଣ ଚୁଟିଆ ରୀତ ଖଳଙ୍କର କ୍ଷଣ ପ୍ରୀତି

ଅଧରେ ଚିକ୍‌କଣ ମଧୁ ଅନ୍ତରେ ଗର

କେ ଜାଣେ ତୁ କି ପ୍ରକାର ବହ୍ନି ଧର ସତ୍ୟ କର

ପ୍ରୟୋଜନ ହେଲେ ଝାସ ଦେବି ମୁକର

ସାକ୍ଷ୍ୟ ମୋର ଗ୍ରହ ତାରକା

ସତ୍ୟ କଲି, ନାହିଁ କୂଟ ପାପ କଣିକା

ବଳବନ୍ତ ସେ ନିଷାଦ ଅଜାଡ଼ି ଦେଲା ବିଶଦ

ଆହ୍ଲାଦ, ଦେବି ସମ୍ବାଦ ନାହିଁ ଆଶାଙ୍କା ।୧୧।

 

ପାର୍ଥିବ ଲାଳସା ସତ ବାସ୍ତବେ ଅଛି କି ଗତ

ବିଡ଼ିବାକୁ ଦେଲା ଶଯ୍ୟା ରତ୍ନ ପଲଙ୍କ

ଉପାଦେୟ ରୁଚିକର ଥୋଇଲା ରାଜ ସମ୍ଭାର

ଦେଖିଲା କାତର ଚିତ୍ତ ନାହିଁ ପୁଲକ

ଭରତ ଭୂମିରେ ଲୁଣ୍ଠିତ

ଜଳ ତୁଳସୀ ମାତ୍ରକେ ଯାମିନୀ ଗତ

ବୋଇଲା ଯିବି ସଙ୍ଗର ଯିବେ ମୋର ଅନୁଚର

ଭରଦ୍ୱାଜ ମୁନିଙ୍କର ମଠ ନିକଟ ।୧୨।

 

(ଭରତ କୈକୟୀଙ୍କୁ ସଙ୍ଗରେ ନେବାକୁ ଅନିଚ୍ଛୁକ )

 

ଭରତ ସତ୍ୟ ଶପତ କରି ସାରିଥିଲେ ମଧ୍ୟ କାଳେ କି ହେବ ଭାବି ନିଜେ ଯଥେଷ୍ଟ ବୀର ଅନୁଚରମାନଙ୍କୁ ସଙ୍ଗରେ ଘେନି ଭରତଙ୍କୁ ବାଟ କଢ଼ାଇ ନେଲେ ।

 

ସ୍ୱଚ୍ଛ ଏ ବିଷ ପଶରା ଜଳାଇଛି ବସୁନ୍ଧରା

ରଘୁବଂଶେ ଲଞ୍ଜାତାରା କାଳ ନାଗୁଣୀ

ଯିବି ମୁଁ ରାଘବ ପାଶ କ୍ଷମଶୀଳ କ୍ଷୋଭହ୍ରାସ

ଦୁଷ୍କୃତ ବୃଜିନ ନାଶ କରିବି ପୁଣି

ଯେ ଯିବେ ଆସନ୍ତୁ ପଛକେ

ପାପିନୀ ଡାକିନୀଟାକୁ ସାଥେ ନେବ କେ ?

ଅଶ୍ରୁ ଗଦଗଦ ନୟନ ହେଲେ ମାତା ସଂଜ୍ଞାହୀନ

କରାଇଲା ପାପବୁଦ୍ଧି ଉଦୁଭବ କେ ।୧୩।

 

(କୈକେୟୀ ଆତ୍ମଘାତିନୀ ହେବେ ସିନ୍ଧାନ୍ତ କଲେ )

 

‘‘ସରଯୁ ଅତଳ ଜଳ ଏହି ମୋ ଆଶ୍ରୟ ସ୍ଥଳ

କି ଜାଣି ମୋ ତାପ ଘାତେ ଶୁଖିଯିବ କି

କାହୁଁ କେମନ୍ତ ଏ ହେଲା କୁସୁମେ କୀଟ ଗ୍ରାସିଲା

କୋଟି ମରଣାନ୍ତେ ଚିତା ଲିଭାଇବ କି’’

ସଦୟେ ଶ୍ରୀରୀମ ଜନନୀ

କୌଶଳେ କୌଶଲ୍ୟା ବାଣୀ ବୋଲନ୍ତି ପୁଣି

‘‘ଏ ଆଦେଶ ହେ ଭରତ ! ନୋହେ ପ୍ରାଜ୍ଞତାସମ୍ମତ

ଜାଣନା କି ରାମ ନୀତି ପଥ ଅଗ୍ରଣୀ ।୧୪।

 

କୈକେୟୀଙ୍କ ବାଞ୍ଛା ପୂର୍ଣ୍ଣ କରିବାକୁ ଅଭିଯାନ

କିଏ ତୁମ୍ଭେ ଭରତ । କରୁଛ ପ୍ରାର୍ଥନା ?

କି ଦେବ କହ ଉତ୍ତର ଅନୁଯୋଗ ଏ କାହାର

କୈକେୟୀ ନଥିଲେ ସଙ୍ଗେ ବ୍ୟର୍ଥ କାମନା

ସମ୍ମତ ହୁଅନ୍ତେ ବୀରେଶ

ପୁରୋଧା ଗହଣେ ପାପିନୀଙ୍କ ପ୍ରକାଶ

ଦମ୍ଭ ପରବତ ଝର ଅନୁତାପ ଅନିବାର

ଲଜ୍ଜିତା କଳଙ୍କଯୁତା ଗ୍ରାସିଛି ତ୍ରାସ ।୧୫।

 

ବୃହସ୍ପତିଙ୍କ ସନ୍ତାନ ସେ ତ ମହା ମତିମାନ

ବୋଇଲେ ହେ ମହୀୟାନ ! ତୁମ୍ଭ ଜୀବନ

ଆଦର୍ଶ ତ୍ୟାଗ ମୁରତି ରଘୁବଂଶେ ମହାଯତି

ହେ ରାଜର୍ଷି ! ତୁମ୍ଭ ଖ୍ୟାତ ନିତ୍ୟ ଭାସ୍ୱାନ

ଭ୍ରାତୃନିଷ୍ଠ ତୁମ୍ଭେ ଉଦାର

ବିଶ୍ୱମ୍ଭରା ଜନନୀଙ୍କ କଣ୍ଠର ହାର

ସେ ତ ବିଶ୍ୱ ଚିନ୍ତାମଣି ବ୍ରହ୍ମାମୟୀ ସନାତନୀ

ବିଶୁଦ୍ଧ ପୀୟୁଷଭାଣ୍ଡ ସ୍ନେହ ସାଗର ।୧୬।

 

ପ୍ରଣମି ତପସ୍ୱୀବର ଉଠନ୍ତେ ବାମା ନିକର

ହେ ଭରତ ! ପରିଚିତ କରା ମୋଠାଇଁ

ଚିହ୍ନାଉଁ ରାମ-ଜନନୀ ଲକ୍ଷ୍ମଣ ଗର୍ଭଧାରିଣୀ

ବାଣବିଦ୍ଧା କପୋତୀ ପରାୟେ କୈକେୟୀ

ଜାପୁଟି ଧଇଲେ ପୟର

‘‘ ତ୍ରିକାଳ ଦରଶି ! କହ ଗତି ମୋହର !’’

‘‘କେ କହେ ତୁମେ ପାପିନୀ ତୁମ୍ଭ ଯୋଗୁଁ ଏ ଅବନୀ

ଅଚିରେ ଲଭୁଛି ମାତା ! ମୋକ୍ଷ ମନ୍ତର ।୧୭।

 

ଧରାଭାର ଖଣ୍ଡିବାକୁ ଦୁଷ୍ଟ ଜନେ ଦଣ୍ଡିବାକୁ

ନରଦେହୀ ନାରାୟଣ ବିଜେ ଗୋପନେ

ଅଯୋଧ୍ୟା କେତେ ମାତର ଏ ବିଶ୍ୱରେ ଚରାଚର

କିଏ ନ ଭ୍ରମୁଛି ମାତା ! ତାଙ୍କ ସନ୍ଧାନେ

ନୁହନ୍ତି ପାର୍ଥିବ ରାଘବ

ମାନବ ଦୁଆରେ ମୋକ୍ଷଦାତା ଉଦ୍ଭବ

ସତ୍ୟଶିବା ସନାତନୀ ଜାନକୀ ବିଶ୍ୱ-ବନ୍ଦ୍ୟାନୀ

ମାୟିକ ଜଗତ ଲୀଳା ଖେଳା ସରବ ।୧୮।

 

 

 

 

ତୁମ୍ଭେ ତ ଯନ୍ତ୍ର ମାତର ଭାଗ୍ୟବତୀ ମାତା ତାର

ଦେବତା ଋଷି ଭୂସୁର ନିତ୍ୟ କଲ୍ୟାଣ

ଆଜ ହୋଇଛ ନିନ୍ଦିତା କାଲିକି ହେବ ବନ୍ଦିତା

ବିଶ୍ୱଶ୍ରୂତା ବିଶ୍ୟମାତା ତୁମ୍ଭ ସମାନ

ବିଶ୍ୱର ସନ୍ତାପ ପୋଛାଇ

ବିଶ୍ୱପତି ଚିହ୍ନାଇବି, ଦ୍ୱିତୀୟ ନାହିଁ

ଗ୍ରହ ତାରା ସମୀରଣ ଯୁଗାନ୍ତ କରିବେ ଧ୍ୟାନ

କରୁଣାମୟୀ ଜନନୀ କରୁଣା ଧ୍ୟାୟୀ ।୧୯।

 

ବିଚିତ୍ର ଶୁଣ ଏ ବାର୍ତ୍ତା ବ୍ରହ୍ମଙ୍କ ସଗୁଣ ସ୍ୱତ୍ତ୍ୱା

ଚିହ୍ନିବାକୁ ଲାଗିଥାନ୍ତା କଳ୍ପକଳ୍ପାନ୍ତ

ତୁମ୍ଭ ଯୋଗୁଁ ସେ ଅନନ୍ତ ଦୁର୍ଗମ ଜଟିଳ ପଥ

ସୁଗମ ସତ୍ୱର ହେଲା ନିଶି ପ୍ରଭାତ

ମାନବ ଦୁଆରେ ଦେବତା

ପ୍ରତ୍ୟକ୍ଷ ଗୋଚରୀଭୂତ କୈବଲ୍ୟ ଦାତା

ଏ ତୁମ୍ଭର ମହାଦାନ ଏଥକୁ ନାହିଁ ସମ୍ମାନ

ପତୀତପାବନୀ ଜାହ୍ନବୀରୁ ଗର୍ବିତା ।୨୦।

 

ଥିଲି ମୁଁ ସୁଧାକର; ଦେଲି ମୁଁ ବିଷ ! ପୋଡ଼ିଲି ଶିଶିର ହୋଇ ଅଯୋଧ୍ୟା ପ୍ରାୟ ପଦ୍ମ ବନକୁ ! ମୁଁ ଗୋଟାଏ ଚନ୍ଦନ ବୃକ୍ଷର କାଳୀୟ ନାଗ ସିନା ।

 

ରାଜନୀତିରେ ପ୍ରବୀଣ ଗୃହକ ତଥାପି ଅଟଳ, ତଥାପି ଅବିଶ୍ୱାସ କରିଛନ୍ତି-ବିଶ୍ୱାସୋ ନୈବ କର୍ତ୍ତେବ୍ୟାସ୍ତ୍ରୀଷୁ ରାଜକୁଳେଶୁ ଚ। ଭାବୁଛନ୍ତି ଭରତଙ୍କର ଏ ସମସ୍ତ ନିରୋଳ କପଟ; ନାଟୁଅଙ୍କ ଅଭିନୟ ।

 

ରାଜା ଦଶରଥ କୈକେୟୀଙ୍କଠାରେ ଥିଲେ ଋଣୀ । ସେହି ଋଣ ଦାୟରୁ ବାପାଙ୍କୁ ମୁକ୍ତ କରିବାଲାଗି ହିଁ ରାମ ବନବାସ ସ୍ୱୀକାର କରିଛନ୍ତି । ତୁମେ ଭରତ ଯାଉଛ ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାକୁ । ତୁମେ ଏଠାରେ କିଏ ? ତୁମେ ରାଜା ହେବକି ନୋହିବ,ସେ ପୃଥକ କଥା । ତୁମର ଏ କାର୍ଯ୍ୟ ଦ୍ୱାରା ରାଜା ଦଶରଥ ଋଣଦାୟରୁ ମୁକ୍ତି ପାଇବେ କି ? କୈକେୟୀଙ୍କ ବିନା ପ୍ରତ୍ୟକ୍ଷ ସ୍ୱୀକାରରେ ରାମ ଫେରିବେ, ଏହା ସମ୍ଭବ ନୁହେଁ । ଅତଏବ କୌକେୟୀଙ୍କୁ ସଙ୍ଗରେ ନେବାକୁ ହେବ । ଏହି ଆଇନ ପଏଣ୍ଟ ମଧ୍ୟ ସ୍ପଷ୍ଟ ଦେଖାଇବାକୁ ହେବ !

***

 

ଷଷ୍ଠ ପର୍ବ

ଚିତ୍ରକୂଟେ ଭରତ ମିଳନ

(ଶିଶୁପା ବୃକ୍ଷର ବୃତ୍ତେ)

 

।୧।

ଚିତ୍ରକୁଟ ବନେ ଭ୍ରମି

ରମ୍ୟ ରମାଲୀଳା ଭୂମି

ରାଜ୍ୟନାଶ ବନ୍ଧୁ ବିଚ୍ଛେଦ ଯନ୍ତ୍ରଣା

ଭୂଲିଗଲେ ବିଶ୍ୱସ୍ୱାମୀ

ସେ ରଜତ, ଧାତୁ ରଞ୍ଜିତ ଶିଖର

ମରାଳ ପନ୍ତିକି ଧବଳ କାନ୍ତିକି

ଅଭ୍ରଂକଷ ଶଶିକର ।

 

(ଏହି ଛନ୍ଦରେ ବିଶେଷ ଭାବରେ ଅନୁପ୍ରାଣିତ କରିବାର ବସ୍ତୁ-ଭରତଙ୍କର ଚରିତ, କ୍ଷମାଶୀଳା କୌଶଲ୍ୟାଙ୍କର ଏତେ ଲାଞ୍ଛନା ପରେ ମଧ୍ୟ ସପତ୍ନୀ ପ୍ରତି ନାହିଁ ଲେଶମାତ୍ର ଅସୂୟା ବରଂ ଅନୁକମ୍ପା । ସେ କାରଣ ବିଚକ୍ଷଣଯୁକ୍ତ କୈକେୟୀଙ୍କର ଅନୁତାପ, ଭରଦ୍ୱାଜଙ୍କର ଆଶ୍ୱାସନା, ଛତ୍ରେ ଛତ୍ରେ ଆଲୋଚ୍ୟ ବହୁବିଷୟ ଖଞ୍ଜା ହୋଇଛି । ଅତଏବ ଗାୟକ ମହାଶୟ ନିଜେ ଯଥେଷ୍ଟ ପ୍ରସ୍ତୁତ ହୋଇ ସଭାରେ ପରିବେଷଣ କରିବା ବିଧେୟ !)

 

୧। ଅଭ୍ରଂକଷ-ମେଘ;

୨। ଶଶିକର-କଳକଣାରେ ଭାରାନ୍ତ୍ରାନ୍ତ ।

 

।୨।

କେଶିଲା ମଞ୍ଜିଷ୍ଠା ଲତା

ପରାୟେ ଦିଶେ ଲୋହିତା

ପୁଷ୍ପରାଗ ଅବା ସ୍ପଟିକ ଉଦ୍ଭବା

କେତକୀବର ନଯୁତା

ସେ ସୁଷମା, ସୁରସୌମ୍ୟା ମନୋରମା

ମୃଗ ଶାର୍ଦ୍ଦୂଳଙ୍କ ଚିତ୍କାର

ଆତଙ୍କ ସୁନ୍ଦର ସଙ୍ଗତେ ଭୀମା ।

 

।୩।

ବିହଗ କାକଳୀ କାହିଁ

ନିର୍ଝର ନାଦେ ମିଶଇ

ଲୋଧ୍ର ପିଆଶାଳ ପଣସ

ଆଙ୍କୋଳ ବେତ୍ର ବଦରୀ ରାଜଇ

ସେ ସମୀର, ଗନ୍ଧ କରି ଆହରଣ

ଗିରିଗୁହାମୃଖେ ଗମନ କରନ୍ତେ

ବାଜୁଛି ବେଣୁ ନିସ୍ୱନ ।

 

।୪।

ବନବାସେ ଦୁଇ ଫୁଲ,

ଲଭିଲି ନିତ୍ୟ ନିର୍ମଳ

ସତ୍ୟ ଧର୍ମେ କଲି ପିତୃ ଋଣ

ଶୋଧ ଭରତେ ପ୍ରୀତିପୁଷ୍କଳ

ରେ ଳକ୍ଷ୍ମଣ ! ଦେହମନ ଅନୁକୂଳ

ପିତୃ ପିତାମହ ରାଜର୍ଷିମାନଙ୍କ

ବିଧାନେ ପୁଣ୍ୟ ସମ୍ବଳ ।

 

।୫।

ଆମ୍ଭ ବଂଶ ଊର୍ଦ୍ଧ୍ୱିତନ

ଭଗୀରଥଙ୍କର ଦାନ

ପତିତୋଦ୍ଧାରିଣୀ ଜାହ୍ନବୀ

ସମାନ କେହିକି ହୋଇଲେ ଆନ

ଗୋ ଜାନକି ! ସେହି ଅଙ୍କେ ଲଭି ସ୍ଥାନ

ସରଟ କରଟ ଅବା

କୃମିକୀଟ କିଏ ନୋହେ ଭାଗ୍ୟବାନ ।

 

 

 

 

।୬।

ସରଗ ଅଂଶୁମାନଙ୍କ

ପଡ଼ିନାହିଁ କି ପଦାଙ୍କ

ରଘୁ ଦିଲୀପଙ୍କ ଅମର ଚରିତ

ଶାଶ୍ୱତ ନିତ୍ୟ ନିରଙ୍କ

ମୋ ନୟନେ, ଏତେ ଦିନେ ଉଭାସିତ

ବନ୍ଧୁର କଣ୍ଟକ ଗିରିଝରତଳେ

କମ୍ବୁନାଦ ବିଘୋଷିତ ।

 

।୭।

ହଂସ ସାରସ ସେବିତା

କୁସୁମିତା ବନଲତା

ବିଚିତ୍ର ପୁଲିନା ଜାହ୍ନରୀ ସଲିଳେ

ତଟଛାୟା ସୁବିମ୍ବିତା

ତୃଷିତା, ମୃଗୀ ଶାବକୀ, ସଂଯୁତା

ଜଟାଜିନଧର ତପସ୍ୱୀନିକର

ଅବଗାହନେ ରମିତା ।

 

 

 

।୮।

ହିଂସ୍ରଜନ୍ତୁ ପୌରଜନ

ଗିରି ଅଯୋଧ୍ୟା ସମାନ

ଏହି ମନ୍ଦାକିନୀ ସରଯୁ ତଟନୀ

ଏହା ହେଉ ତୁମ୍ଭ ଜ୍ଞାନ

ଗୋ ବୈଦେହୀ !

ଲକ୍ଷ୍ମଣ ତ ଆଜ୍ଞାକାରୀ

ସୌମ୍ୟ ସହବାସ, ସ୍ନାନ ମଧୁପାନେ

ତୁଚ୍ଛ ରାଜଧାନୀ ଶିରି ।

 

୧। ସରଟ-ଏଣ୍ଡୁଅ

୨। କରଟ-କୁଆ

୩। କଟାଜିନଧର-ଜଟା ଓ ଚର୍ମ ବସନରେ ମଣ୍ଡିତ ।

 

୧। ୮ମ ପଦ-ଏହି ବାଘ ଭାଲୁ ମୃଗ ମର୍କଟ-ଏହିମାନେ ଆମର ପୌରଜନେ, ଏହି ଜାହ୍ନବୀକି ସରଯୁ ବୋଲି ଭାବିବୁଁ । ଲକ୍ଷ୍ମଣ ତ ଆଜ୍ଞାକାରୀ ।

 

 

 

 

 

।୯।

ଭାନୁ ଅସ୍ତାଚଳ ଶିରେ

ଉଟଜ ପ୍ରାଙ୍ଗଣ ଦ୍ୱାରେ

ପ୍ରଜ୍ୱଳବହ୍ନିରେ ଆହାର୍ଯ୍ୟ ସମ୍ଭାର

ରାନ୍ଧୁଥିଲେ ଯେ କାଳରେ

ଶୁଭିଲା, କୋଳାହଳ ଅବଶେଷେ

ଉପତ୍ୟକା ପାଶେ ଉଛୁଳେ ବିଶେଷେ

ପର୍ବତର ସାନୁଦେଶେ ।

 

।୧୦।

କାତରେ ମୃଗ ପଳାଇ

ପର୍ଣ୍ଣଶାଳାରେ ପଶଇ

କି ହେତୁ ଦେଖ ତ କହୁଁ ରଘୁନାଥ

କରିଯୁଥ ଗଲେ ଧାଇଁ

ମୃଗୟା ବିନୋଦୀ କେ ବନାନୀକି

ହିଂସ୍ରକ ଶ୍ୱାପଦ ଅବା ଉନୁମାଦ

ଦମ୍ଭେ କେହି ଆସିଛି କି ।

 

 

 

 

।୧୧।

ବିଶାଳ ଶାଳ ଶିଖରେ

ସୌମିତ୍ରୀ ଅନାଇ ଦୂରେ

ଏ ପରା ଭରତ କୋବିଦାର

ଧ୍ୱଜ ରଥ ଆସୁଛି ପ୍ରଖରେ

ବିରାଟ ବାହିନୀ ଛନ୍ତି ସଙ୍ଗରେ

‘‘ସାମ୍ରାକୁ ଖେଦାଇ ମନ ମାନି ନାହିଁ

ଆସୁଛି ଦସ୍ୟୁଢ଼ଙ୍ଗରେ ।

 

ଏଭଳି ଆଜ୍ଞାକାରୀ ତ କୋଟିକେ ସୁଦ୍ଧା ଗୋଟିଏ ନ ଥିବେ । କେତେ ଯତୀନ୍ଦ୍ର ପୁରୁଷଙ୍କର ସହବାସ ପାଇବୁଁ । ଏ ଜଳରେ ସ୍ନାନ କରି, ଏ ବନର ମଧୁପାନ କରି ଯେଉଁ ସୁଖ ମିଳିବ, ତାହାଠାରେ ଅଯୋଧ୍ୟା କେତେ ତୁଚ୍ଛ ! ରଘୁବଂଶର ଯାବତୀୟ ପୁଣ୍ୟଶୀଳ ରାଜର୍ଷିମାନେ ତ ଜୀବନ-ସନ୍ଧ୍ୟାରେ ଏହିପରି ଜୀବନ ଯାପନ କରିଛନ୍ତି । ଉପତ୍ୟକା-ଦୁଇପର୍ବତ ମଧ୍ୟ ସ୍ଥଳର ନିମ୍ନଭୂମି, ସାନୁଦେଶେ-ପାଦତଳେ ।

 

୧। କୋବିଦାର-କାଞ୍ଚନଫୁଲ । ରଥରେ କାଞ୍ଚନଫୁଲ ମାର୍କା ।

 

(୧୨)

ନିର୍ବାପିତ କର ବହ୍ନି

ନ ପାରନ୍ତି ସ୍ଥାନ ଚିହ୍ନି

ଜନକ ନନ୍ଦିନୀ ଲୁଚନ୍ତି ଗୃହାରେ

ଅବେଳ ଅକାଳ ଜାଣି

ହେ ଧିମନ୍ତ ! କବଚ କେ ଦଣ୍ଡ ଘେନି

ରହନ୍ତୁ ଆପଣେ, ବିନାଶର ବୁଦ୍ଧି

ଉପୁଜିଛି ତାର ପୁଣି ।

 

(୧୩)

‘‘ଭରତକୁ ଏତେ ହୀନ

ନକର ବାବୁ ! କଳନ

ବୃଦ୍ଧ ଜନକଙ୍କୁ ସନ୍ତାନ ବିଚ୍ଛେଦ

ବାଧିଥିବ ବହୁଗୁଣ

ସେ ଘେନି, ଆସୁଥିବେ ନରରାଣ

ଦିଶୁନାହିଁ ତାଙ୍କ ପାଣ୍ଡୁର ଧ୍ବଜା ତ

ଅବା ଛତ୍ର ଚିହ୍ନବର୍ଣ୍ଣ ।’’

 

(୧୪)

‘‘କ୍ଷମାକର କ୍ଷମାକର

କାହିଁ ଅଛ କ୍ଷମଙ୍କର’’

ଧ୍ୱନି ବାରମ୍ବାର କଲା କି ମୁଖର

କାନନର ଆଭ୍ୟନ୍ତର

ଭରତ- ଅଙ୍ଗେ ଦେଖି ଜଟାଚୀର

ଜନୀନମାନଙ୍କ ଶୁଭ୍ର ପରିଧାନ

ଚମକିଲେ ରଘୁବୀର ।

 

Emblem; ୧୨ ପଦ-ଜନକଜେମାଙ୍କୁ ଲୁଚିବାକୁ କହିବା କେଡ଼େ ଧୃଷ୍ଟତା, କିନ୍ତୁ ସେ ଜାଣନ୍ତି, ଏହା ବର୍ତ୍ତମାନ ଆମ ପକ୍ଷରେ ଅବେଳ ଅକାଳ ମଧ୍ୟ; ଧନୁର୍ଦ୍ଧର ହୋଇ ମଧ୍ୟ କି ହେବ, ବିଶ୍ୱାସ ନାହିଁ ।

 

(୧୫)

ଜନନୀ ଗହଳେ ଯାଇ

ଆଦ୍ୟେ ପ୍ରଣମି କେକୟୀ

କହ ମା ! କାହିଁକି ଏକି ବିଡ଼ମ୍ବନା

ମଳିନ ମୁଖ ଦିଶଇ

ଗୋ ଜନନୀ ! ଦିଅ ସେହି ପାଦଧୂଳି

ରାଜର୍ଷି ବାଞ୍ଛିତ ଏହି ପୁଣ୍ୟପଥ

ବଳୀୟାନ ହୁଏଁ ବୋଳି

 

(୧୬)

ଏକି ନବ ପରିଧାନ

ନାହାନ୍ତି କି ମହୀୟାନ ?

ପାଦତଳେ ଲୋଟି ଗଦ୍ ଗଦ୍ ଭରତ

ବୋଲନ୍ତି ସେ ଗତପ୍ରାଣ

ହେ ପୁଣ୍ୟାତ୍ମ, ନାହିଁ ପିତୃ ଅଙ୍କେ ସ୍ଥାନ

ହା ରାମ ରାମ ରେ ଶବଦ ଶୁଭିଛି

ଶେଷେ ଶ୍ୱାସ ସଙ୍ଗେ ଜାଣ ।

 

(୧୭)

ସୁମତ୍ର ବାହୁଡ଼ି ଗଲା

ଅପରାହ୍ନେ ଜଣାଇଲା

ଗଲୁ ଗଲୁ ମୋର ଜୀବନ-ଚନ୍ଦ୍ରମା

ଲିଭାଇଲୁ ଚନ୍ଦ୍ରଶାଳା

ରେ ଚିଦ୍‌ଘନ, ମୃତ୍ୟୁକାଳେ ଏହା କଲି

ତୋତେ ନଦେଖିଲି ଅନଘ ସୁନ୍ଦର

ଜାନକୀକି ଭସାଇଲି ।

 

(୧୮)

ବିବସା ତମସାବୃତା

କ୍ଷଣଦା ନୋହିଲା ଗତା

ଦ୍ୱିତୀୟ ପ୍ରହର ହେଲା ଲୋକାନ୍ତର

ଛିନ୍ମ ହେଲା ଜୀବଲତା

ବଶିଷ୍ଠେ , ତୈଳଧାରେ ଥିଲେ ଥୋଇ

ଚାରିପୁତ୍ର ଥାଉଁ ବାରିବିନ୍ଦୁ ଦେବା

କା’ର ଭାଗ୍ୟେ ଯୋଗ ନାହିଁ ।

 

୧ । ସେ ଦୁଃଖମୟ ଅନ୍ଧାର ରାତିଟା ମଧ୍ୟ ପାହିଲା ନାହିଁ ।

 

(୧୯)

ଉଠିଲା ନ୍ତ୍ରନ୍ଦନ ରୋଳ

ଉଛୁଳିଲା ବନସ୍ଥଳ

‘‘ଭାଗ୍ୟବନ୍ତ ତୁମ୍ଭେ ଅର୍ପଣ କରିଛ

ଆଦ୍ୟ ପିଣ୍ଡ ଅର୍ଘ୍ୟଦଳ’’

ସେ ତକ୍ଷଣେ, ଉଦକ ନ୍ତ୍ରିୟାବିଧାନ

ଜାହ୍ନବୀ ଜଳରେ ଚୁର୍ଣ୍ଣ

ଇଙ୍ଗୁଦିରେ ପିଣ୍ଡଦାନ ସମାପନ ।

 

(୨୦)

‘‘କି ଲାଗି ଜଟା ଅଜିନ

ଅସଙ୍ଗତ ଆଚରଣ

ଥାଉଁ ରାଜପଣ ପାଳନ

ଏ କି ଭାବେ ଉଦାସୀନ ?

ହେ ଭରତ ! ପିତାଙ୍କର ଶେଷ ଦାନ

ନିର୍ଦ୍ଦେଶ ବଚନ ବାଞ୍ଛା

ଯେଉଁମାନ କରୁନାହିଁ କି ପାଳନ ।’’

 

(୨୧)

ଜ୍ୟେଷ୍ଠ ଥାଉ କନିଷ୍ଠର,

ରାଜପଣ ଅଧିକାର

ଶୁଣିଲା ବେଳରୁ ଅଦ୍ଭୁତ କଳ୍ପନା

ଭାବେଁ ଏହା ଅନାଚାର

ନାରୀଙ୍କ ସ୍ୱାର୍ଥ ବୁଦ୍ଧିରୁ ସଞ୍ଚାର

ରଥ ବାହିବାକୁ କ୍ଷମ ଅଶ୍ୱତର

ଦୁର୍ବାସନା ରାଷଭାର ।

 

(୨୨)

ମରାଳ ସାଗର ବାହୀ

ବକ କି ସେଥି ଯୁହାଇ

ଡଣ୍ଡୁଭ ଆସ୍ଫାଳ ଗରୁଡ଼ ଅଗ୍ରତେ

ପାରେ କି ମେରୁ ଟଳାଇ

ବିକଳ୍ସେ,ହୋଇଅଛି ଯେ ଘଟନା

 

 

ଜାଣୁଛି ସେମାନ ଦୂରଦୃଷ୍ଟିହୀନ

ନୀଚବୁଦ୍ଧି ସରଜନା ।

 

(୨୩)

‘‘ଇକ୍ଷ୍ୱାକୁ କକୁସ୍ଥ ସୁତ

ଏ କି କହ ବିପରୀତ

ହିତ କି ଆହାତ ନୀତ ବହିର୍ଭୁତ

ବିଚାର ନୋହେ ଉଚିତ

ତୁମ୍ଭଙ୍କୁ, ଅଯୋଧ୍ୟା-ମୋତେ ଦଣ୍ଡକା

ମାନବେ ତୁମ୍ଭର

ମୋର ଅଧିକାର ଗିରିବନ ଉପତ୍ୟକା ।

 

(୨୪)

କହୁଛ ତୁମ୍ଭେ ଅହିତ

ନୋହେ କୁଳ ଧର୍ମୋଚିତ

ପିତୃ ପୁରୁଷଙ୍କ ନିତ୍ୟ ନିଷ୍କଳଙ୍କ

ଭାଗ୍ୟ ମୋତେ ପରାପତ

ହେ ଭରତ ! ପିତୃ-ସତ୍ୟ-ରକ୍ଷା ବ୍ରତ

ପିତାଙ୍କୁ ରଖାଇ ମାତାଠାରେ

ରାଣୀ କେମନ୍ତେ ଥିବ ଜୀବିତ ।

 

(୨୫)

ରାଜ୍ୟେ ରାଜା ଦଶରଥ

କୈକେୟୀଙ୍କୁ କଲେ ଦତ୍ତ

ଜନନୀଙ୍କ ଦାନ ମୁଁ କଲି ଅର୍ପଣ

ଏଥି କେଉଁ ଅବିହିତ

ବୋଲନ୍ତେ, ମହାଦ୍ୟୁତି ଚମକିତ

ଗ୍ରହିତା ପଣକୁ ଯତିବ୍ରତାଚାରୀ

ମୋ ବ୍ରତେ ବାଧା ସଂଜାତ ।

 

(୨୬)

ରଘୁବଂଶେ ରାଜପଣ

ନୁହଁଇ ଅମୁଲ୍ୟ ଧନ

ଧରମ ଦୁଆରେ ପ୍ରତାରଣା ବୁଦ୍ଧି

ନୋହେ ବାବୁ ! ସମୀଚୀନ

ଆହ୍ଲାଦେ, ଅଛି ମୁଁ ଯତି ଜୀବନେ

ଅଭାଜନ ନୁହଁ ତୁମ୍ଭେ ଅଯୋଧ୍ୟାକୁ

ବୃଥା ଖେଦ କି କାରଣେ ?

 

 

 

(୨୭)

ନିନ୍ଦିତ କୂଳ ଆଚାର

ବନ୍ଦିତ ରଘୁବଂଶର

ବିବୁଧ ସମ୍ମତ ନୋହେ ଅସଙ୍ଗତ

ରୀତି ଏ ନୀଚ ସଂସ୍କାର

ହେ ଅନଘ, ରାଘବେ ସତ୍ୟ ସେବକ

ସ୍ୱଭାବେ ପୃଥ୍ୱୀଶ ହେବ

ନୀତିଭ୍ରଂସ କୁଳକୁ ମହା କଳଙ୍କ ।

 

(୨୮)

ପିତୃ ଆଜ୍ଞା ମୋ ନୟନ

ସାକ୍ଷାତେ ସ୍ୱର୍ଗ ସମାନ

ନିର୍ବିଚାରେ କର ଆଦେଶ ପାଳନ

ଲଭିବ ପୁଣ୍ୟ ସ୍ପନ୍ଦନ

ଭରତ ! ଧର୍ମହୀନ ହୋଇବାର

କରିବାର ଅବା ଦୂଷିତ ବୁଦ୍ଧି କି

ତୁମ୍ଭଠି ହେବ ସଞ୍ଚାର ।

 

 

 

 

(୨୯)

ପ୍ରଜାପାଳ, ହୋଇବାର

ନିର୍ଦ୍ଦେଶ ଥିଲା ତାଙ୍କର

ତୁମ୍ଭେ ଦାନ କଲେ ମୋତେ

ଯତିଜନେ ନୀତି ହେଲା ସ୍ୱେଚ୍ଛାଚାର

କହେ ଭରତ, ଦତ୍ତାପହାରୀ ନୋହିବି

ଯତୀନ୍ଦ୍ର ପ୍ରଭୁଙ୍କ ତପସ୍ୱୀ କିଙ୍କର

ପ୍ରାୟେ ଆଜ୍ଞା ପାଳୁଥିବ ।

 

(୩୦)

ପାଦୁକା ଦିଅ ତୁମ୍ଭର

ପ୍ରତିନିଧି ହୋଇବାର

ଭରତ ମାତ୍ରକ ରାଜ ଅନୁଚର

ରାଜା ସତ୍ୟସନ୍ଧ ଶୂର

ହେ ଯତୀନ୍ଦ୍ର ! ଲଭି ପୁଣ୍ୟ ପାଦଧୁଳି

ଚତୁର୍ଦ୍ଦଶ ବର୍ଷ ବ୍ରତାଚାରୀ

ହୋଇ ରହିଥିବି ଛତ୍ରଧାରୀ ।

 

 

 

 

(୩୧)

ଅନ୍ତ୍ରିମୁନି ମତ୍ରପୁତ

ବନେ ରାଘବେ ପ୍ରଦତ୍ତ

ଯହିଁ ଥାଏ ତହିଁ ଅଶୁଭ

ନାଶଇ ନିଷ୍କଣ୍ଟକ କରେ ପଥ

ପ୍ରଣମି, ସୀତାପତି ସୀତାପଦ

ଅଶ୍ରୁ ଗଦଗଦ, ଅମୁଲ୍ୟ ସମ୍ପଦ

ଶିରେ ଟେକୁଁ ସାଧୁବାଦ ।

 

(୩୨)

ନଗର ପ୍ରାନ୍ତେ ରହିବି

ରାଜକର୍ମ ଦେଖୁଥିବି

ପାଦୁକା ରହିବେ ରାଜା ସିଂହାସନେ

ସେବକ ପ୍ରାୟେ ପୂଜିବି

ମାତ୍ରକ, ଫଳମୂଳ କଟାଜିନ

ନିଷ୍ଠାନିଷ୍ଠ ହୋଇ, ସୀତାରାମ ଧ୍ୟାୟୀ

ନନ୍ଦୀଗ୍ରାମେ ଅବସ୍ଥାନ ।

 

 

 

 

(୩୩)

ଚତୁର୍ଦ୍ଦଶ ବର୍ଷ ଶେଷ

ନୋହିଲେ ତୁମ୍ଭେ ପ୍ରବାଶ

ସେଦିନ ଏ ବ୍ରତ ହେବ ଉଦ୍ ଯାପନ

ଚିତାଗ୍ନିକି ଦେବି ଝାସ

ଏ କାଳେ, ମଳୟ ଚନ୍ଦନ ଗନ୍ଧ

ଚମକି ଉଠିଲା ସମୀବୃକ୍ଷ

ତଳେ ପରଭୃତ ସ୍ୱନ ଛନ୍ଧ ।

 

(୩୪)

ଶାଶ୍ୱତ ସୁଗନ୍ଧ ତାର

ମୃଗ୍‌ଧ କଲା ଚରାଚର

ତ୍ୟାଗର ଗୌରବ ନିଷ୍ଠାର

ସୌରଭ, ନୀତିଜ୍ଞାନ ଉପହାର

ସୋଦର ପ୍ରୀତିବୋଳା କଣ୍ଠହାର

ଏ ଭାରତ ବକ୍ଷେ କଉସ୍ତୁ ଭୁମଣି

ଯୁଗାନ୍ତ ନେତ୍ର ସୁନ୍ଦର ।

 

 

 

 

(୩୫)

ନୟନର ଅଶ୍ରୁଧାରେ

ଅନ୍ତିମର ଶତଦଳେ

ଶେଷ ଶ୍ୱାସତଳେ ଅର୍ଘ୍ୟ

କି ନଦେବି ରାଘବ କଞ୍ଜପୟରେ

ନେତ୍ରରେ, ନ ଦେଖିବି ଶ୍ୟାମଛବି

ପାତିକୀ ବୋଲି କି

କୃଷ୍ଣପ୍ରସାଦର ନଉଇଁବ ଭାଗ୍ୟରବି ।

 

“ଜଗ ମଙ୍ଗଳ ଗୁନ ଗ୍ରାନ ରାମକେ

ଦାନି ମୁକତି ଧନ ଧରମ ଧାରକେ”।

-ତୁଳସୀଦାସ

ସମାପ୍ତ